Unknown

 

 

 

 

 

 

 

 

 

 

 

ମଲାଜହ୍ନ

ଉପେନ୍ଦ୍ର କିଶୋର ଦାସ

 

ପରିଚୟ

 

ଉପେନ୍ଦ୍ର କିଶୋର ଦାସଙ୍କ ରଚିତ 'ମଲାଜହ୍ନ' ଓଡ଼ିଆ ସାହିତ୍ୟର ଏକ କାଳଜୟୀ ଉପନ୍ୟାସ । ଏହା ମନୁଷ୍ୟର ଅନ୍ତରର ଗଭୀର ଅନୁଭୂତି ଓ ସାମାଜିକ କଟକଣା ମଧ୍ୟରେ ଥିବା ସଂଘର୍ଷର ଏକ ନିଚ୍ଛକ ଚିତ୍ର ପ୍ରଦାନ କରେ । ଉପନ୍ୟାସଟି ମୁଖ୍ୟତଃ ବାଲ୍ୟ ବିବାହର କୁପରିଣାମ, ନାରୀର ଅସହାୟତା, ନାରୀର ଅନ୍ତର୍ବେଦନା, ମନୁଷ୍ୟର ନିଚ୍ଛକ ଅନୁଭୂତିର, ପବିତ୍ର ପ୍ରେମର ଏକ କରୁଣ ଚିତ୍ର ପ୍ରଦାନ କରେ ।

 

ପୃଷ୍ଠଭୂମି

 

'ମଲାଜହ୍ନ' ଉପନ୍ୟାସଟି ଏମିତି ଏକ ସମୟର ପୃଷ୍ଠଭୂମିରେ ଲିଖିତ, ଯେତେବେଳେ ଓଡ଼ିଶାର ଗ୍ରାମୀଣ ସମାଜରେ ପରମ୍ପରା ଓ କୁସଂସ୍କାରର ଚେର ଖୁବ୍ ଗଭୀରକୁ ଚାଲିଯାଇଥିଲା । କାହାଣୀଟି ଆମକୁ ଏକ ଶାନ୍ତ କିନ୍ତୁ କଠୋର ନିୟମରେ ବନ୍ଧା ଗାଁର ପରିବେଶକୁ ନେଇଯାଏ । ସେହି ସମୟରେ ବାଲ୍ୟ ବିବାହ କେବଳ ଏକ ପ୍ରଥା ନଥିଲା, ବରଂ ଏହା ଏକ ସାମାଜିକ ବାଧ୍ୟବାଧକତା ଥିଲା । ଝିଅଟିଏ ରଜସ୍ୱଳା ହେବା ପୂର୍ବରୁ ତାକୁ ବିବାହ ଦେବା ବାପାମାଆଙ୍କ ପାଇଁ ଏକ ବଡ଼ ଧର୍ମ ବୋଲି ବିଚାର କରାଯାଉଥିଲା । ଏହି ସମାଜରେ ନାରୀର ନିଜସ୍ୱ କୌଣସି ଇଚ୍ଛା ବା ସ୍ୱାଧୀନତା ନଥିଲା । କାହାଣୀର ପରିପ୍ରେକ୍ଷ୍ୟରେ ଆମେ ଦେଖୁ ଯେ ଗାଁର ସମାଜ ମୁଖିଆମାନେ ହିଁ ସବୁ ନିଷ୍ପତ୍ତି ନିଅନ୍ତି । ଏହି ପରିବେଶରେ ବ୍ୟକ୍ତିଗତ ପ୍ରେମ ବା ମାନବିକ ସମ୍ବେଦନା ଅପେକ୍ଷା 'କୁଳର ସମ୍ମାନ' ଓ 'ଜାତିର ପବିତ୍ରତା'କୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା । ଏପରିକି ଯଦି ଜଣେ ନାରୀ କୌଣସି ଅପ୍ରାକୃତିକ ପରିସ୍ଥିତିରେ ଘରୁ ବାହାରେ, ଏକ ରାତି କଟାଏ, ତେବେ ତା’ର ଚରିତ୍ରକୁ ସନ୍ଦେହ କରି ତାକୁ ଚିରଦିନ ପାଇଁ ତ୍ୟାଗ କରିବାରେ ସମାଜ କେବେ ହେଲେ କୁଣ୍ଠାବୋଧ କରୁନଥିଲା । ଏହି କଠୋର ଓ ନିଷ୍ଠୁର ସାମାଜିକ ବ୍ୟବସ୍ଥା ହିଁ ସତୀ ଭଳି ଜଣେ ଚପଳମତି କିଶୋରୀର ଜୀବନକୁ ଏକ ଅନ୍ଧକାର ଗଳି ଆଡ଼କୁ ଠେଲି ଦେଇଥିଲା ।

 

ପ୍ରମୁଖ ପାତ୍ରମାନେ

 

ଏହି ଉପନ୍ୟାସରେ ଏମିତି ଚରିତ୍ର ଅଛନ୍ତି, ଯେଉଁମାନେ ଆମ ମନରେ ଶ୍ରଦ୍ଧା, ଘୃଣା କିମ୍ବା ସମବେଦନା ସୃଷ୍ଟି କରନ୍ତି ।

 

ସତ୍ୟଭାମା (ସତୀ): କାହାଣୀର ନାୟିକା । ପିଲାଦିନୁ ଅତ୍ୟଧିକ ଗେହ୍ଲା ଓ ଚପଳମତି ଏହି ଝିଅଟି ନିଜର ସ୍ୱାଧୀନ ଚେତନା ପାଇଁ ।

 

ନାଥନନା (ନାଥ): ସତୀର ପିଲାଦିନର ସାଙ୍ଗ ଏବଂ ଜଣେ ନିଃସ୍ୱାର୍ଥପର ବ୍ୟକ୍ତି । ସତୀର ପ୍ରତିଟି ଦୁଷ୍ଟାମି ଓ ଅଭିମାନକୁ ସେ ଖୁବ୍ ଧୈର୍ଯ୍ୟର ସହ ଗ୍ରହଣ କରୁଥିଲେ । ସେ ସତୀ ପାଇଁ ଶେଷ ପର୍ଯ୍ୟନ୍ତ ସମାଜ ସହ ଲଢ଼ିଥିଲେ, ଏପରିକି ନିଜର ସବୁକିଛି ହରାଇ ମଧ୍ୟ ସେ ସତୀକୁ ଆଶ୍ରୟ ଦେଇଥିଲେ ।

 

ସତୀର ସ୍ୱାମୀ: ଜଣେ ବୟସ୍କ ବିଧବା ଜମିଦାର । ସେ କେବଳ ଦେଖିବାକୁ କୁତ୍ସିତ ନୁହେଁ ବରଂ ତାଙ୍କର ଚରିତ୍ର ଓ ବ୍ୟବହାର ମଧ୍ୟ ଅତ୍ୟନ୍ତ ପାଶବିକ । ନାରୀ ପ୍ରତି ତାଙ୍କର ସମ୍ମାନ ନଥିଲା ଏବଂ ସେ ସନ୍ଦେହୀ ପ୍ରକୃତିର ଥିଲେ ।

 

ସଉରଭୀ: ସତୀର ଶାଶୁଘରର ଜଣେ ଦାସୀ ବା ପୋଇଲୀ, ଯାହାର ସତୀର ସ୍ୱାମୀଙ୍କ ସହ ଅବୈଧ ସମ୍ପର୍କ ଥିଲା । ସେ ସତୀର ବୈବାହିକ ଜୀବନକୁ ନର୍କରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

 

ନଟ: ସତୀର ସଉତୁଣୀ ପୁଅ, ଯାହାକୁ ସତୀ ନିଜ ପୁଅ ପରି ସ୍ନେହ କରୁଥିଲା । ସେ ସେହି ବିଷାକ୍ତ ଘରେ ସତୀ ପାଇଁ ଏକମାତ୍ର ଶାନ୍ତିର ଉତ୍ସ ଥିଲା ।

 

ଅଚୁତି: ଗାଁର ଜଣେ ଧୂର୍ତ୍ତ ମାଷ୍ଟର, ସତୀ ଓ ନାଥଙ୍କ ସମ୍ପର୍କକୁ ନାନା ଷଡ଼ଯନ୍ତ୍ର ବଳରେ ନିଜର ସ୍ୱାର୍ଥ ହାସଲ କରିବାକୁ ଚାହେଁ ।

 

ବିଷୟବସ୍ତୁ

 

'ମଲାଜହ୍ନ'ର ମୁଖ୍ୟ ଚରିତ୍ର ସତ୍ୟଭାମା ବା ସତୀର ଶୈଶବ ଅତ୍ୟନ୍ତ ଚପଳତା ଓ ସ୍ଵାଧୀନତା ମଧ୍ୟରେ କଟିଥିଲା । ସତୀ ଥିଲା ତା’ର ବାପାମାଆଙ୍କର ଏକମାତ୍ର ଝିଅ । ସେ ଅତ୍ୟଧିକ ସ୍ନେହ ଓ ଶ୍ରଦ୍ଧାରେ ବଢ଼ିଥିଲା । ଏହି ଅତି ଗେହ୍ଲାପଣ ହିଁ ତାକୁ ଜଣେ ଅମାନିଆ ଏବଂ ଏକଜିଦିଆ ଝିଅ ଭାବେ ଗଢ଼ି ତୋଳିଥିଲା । ତା’ର ଜିଦ୍ ଏତେ ଥିଲା ଯେ ସାମାନ୍ୟ କଥାରେ ସେ ରାଗ ଅଭିମାନ କରି ଘର ଛାଡ଼ି ପଳାଉଥିଲା, ଫଳରେ ଗାଁରେ ତା’ର ଚର୍ଚ୍ଚା ହେଉଥିଲା । ତତ୍କାଳୀନ ସାମାଜିକ କଟକଣାକୁ ଖାତିର ନକରି ସେ ଖଇଫୁଟା ଖରା କିମ୍ବା ବର୍ଷା ପବନରେ ବାହାରକୁ ବୁଲିବାକୁ ଚାଲିଯାଉଥିଲା । ଥରେ ଆଷାଢ଼ର ବର୍ଷା ଦେଖି ସେ ବୋଉର ଅଜାଣତରେ ପାନପେଡ଼ିରୁ ପାନ ଚୋରାଇ ଆମ୍ବତୋଟା ଆଡ଼େ ବୁଲିବାକୁ ପଳାଇଥିଲା । ତା’ର ଏହି ବେପରୁଆ ଭାବ ପାଇଁ ବାପା ତାକୁ 'ଗାଁ ଗସ୍ତରେ ଥିବା ଝିଅ' ବୋଲି ବ୍ୟଙ୍ଗ କରୁଥିଲେ । ସତୀର ଶୈଶବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାଥୀ ଥିଲେ ତା’ର ଗାଁର ସାଙ୍ଗ ନାଥନନା (ନାଥ) । ନାଥଙ୍କ ସହ ସତୀର ସମ୍ପର୍କ ଭାଇ-ଭଉଣୀ କିମ୍ବା ବନ୍ଧୁତ୍ୱର ଏକ ନିଆରା ସଂଯୋଗ ଥିଲା । ସତୀ ନାଥଙ୍କ ସହ ଲୁଚକାଳି ଖେଳିବା, ନଈ ପୋଖରୀରେ ଫୁଲ ତୋଳିବା ଏବଂ ବର୍ଷା ଦିନେ କାଗଜ ଡଙ୍ଗା ଭସାଇବା ପରି କାମରେ ମଜ୍ଜି ରହୁଥିଲା । ନାଥ ସତୀର ଦୁଷ୍ଟାମିକୁ ଦେଖି ହସୁଥିଲେ ଏବଂ ଅନେକ ସମୟରେ ତାକୁ 'ସୁନା ଭଉଣୀ' କହି ବୁଝାଉଥିଲେ ।

 

ସତୀକୁ ଯେତେବେଳେ ଏଗାର ବର୍ଷ ବୟସ ହେଲା, ସେତେବେଳେ ତା’ର ବାପା ତା’ର ଚପଳତାକୁ ଦେଖି ଚିନ୍ତିତ ହୋଇପଡ଼ିଲେ ଏବଂ ତା’ର ବାହାଘର ଠିକ୍ କଲେ । ସତୀ ପାଇଁ ବାହାଘର କଥାଟି ଏକ କୌତୁକ ଏବଂ 'ଅମୁଁହା ଦେଉଳ' ପରି ଅଜଣା ଅନୁଭୂତି ଥିଲା । ତଥାପି ସେ ନିଜର ଶୈଶବର ସ୍ଵାଧୀନତାକୁ ଛାଡ଼ିବାକୁ ଚାହୁଁନଥିଲା । ନାଥନନାଙ୍କ ସହ ଖେଳୁଥିବା ସମୟରେ ଯେତେବେଳେ ପ୍ରଥମ କରି ତାଙ୍କର ସ୍ପର୍ଶ ବା ଚାହାଣୀରେ ସତୀ ଲାଜ ଅନୁଭବ କଲା, ସେତେବେଳେ ତା’ର ଶୈଶବର ଅନ୍ତ ଘଟିଲା ଏବଂ ସେ ଜଣେ କିଶୋରୀ ଭାବେ ନିଜକୁ ସଚେତନ ମଣିଲା । ନାଥଙ୍କୁ ଦେଖିଲେ ଲୁଚିବା ଏବଂ ସାମାନ୍ୟ କଥାରେ ଅଭିମାନ କରିବା ତା’ର ଚପଳ ଚରିତ୍ରର ନୂଆ ଦିଗ ଥିଲା ।

 

ସତୀର ଶୈଶବ ଥିଲା ଦୁଷ୍ଟାମି, ଅଭିମାନ ଏବଂ ନିର୍ଭୟରେ ବୁଲିବାର ଏକ ସୁନ୍ଦର ସମୟ-। ଏହାକୁ ସମାଜର ବାଲ୍ୟ ବିବାହ ପ୍ରଥା ଅତି ଶୀଘ୍ର ଶେଷ କରିଦେଇଥିଲା । ସତୀର ବାପା ଜଣେ ଏକଜିଦିଆ ଲୋକ ଥିଲେ ଏବଂ ସେ ସତୀକୁ ଜଣେ ବୟସ୍କ ବିଧବା ଜମିଦାରଙ୍କ ସହ ବାହା ଦେବାକୁ ସ୍ଥିର କଲେ । ନାଥନନା ଏହି ପ୍ରସ୍ତାବର ଘୋର ବିରୋଧ କରିଥିଲେ, କାରଣ ବରଟି ବୟସ୍କ ଏବଂ ପୁଣି ଦୋଭେଇ (ଦ୍ୱିତୀୟ ବିବାହ କରୁଥିବା ବ୍ୟକ୍ତି) ଥିଲା । ନାଥଙ୍କ ବିରୋଧ ଯୋଗୁଁ ସତୀର ବାପା ତାଙ୍କ ଉପରେ ଚିଡ଼ିଗଲେ ଏବଂ ନାଥ ସେଦିନଠାରୁ ସତୀର ଘରକୁ ଆସିବା ବନ୍ଦ କରିଦେଲେ ।

 

ସତୀ ପାଇଁ ବାହାଘର ଥିଲା ଏକ 'ଅମୁଁହା ଦେଉଳ' ପରି ଅଜ୍ଞାତ ଅନୁଭୂତି । କିନ୍ତୁ ସେ ଜାଣିନଥିଲା ଯେ ଏହି ବିବାହ ତା’ ଜୀବନରେ ଏକ 'ଲୁହାଶିକୁଳି' ପରି କଷ୍ଟଦାୟକ ହେବ । ବିବାହ ସମୟରେ ତାକୁ ଏକ 'ନିରୀହ ଛେଳିଛୁଆ' ପରି ବଳି ଦିଆଗଲା ବୋଲି ସେ ଅନୁଭବ କରିଛି । ବିବାହ ପରେ ସତୀ ଯେତେବେଳେ ପ୍ରଥମ କରି ତା’ର ସ୍ୱାମୀଙ୍କୁ ଦେଖିଲା, ସେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଲା । ସ୍ୱାମୀଙ୍କ ରୂପ ଥିଲା 'ପୋଡ଼ାକାଠ ପରି ରଙ୍ଗ' ଏବଂ 'ମୁହଁଯାକ ବସନ୍ତର ଦାଗ' । ସତୀର ମନ ତାଙ୍କ ପ୍ରତି ଘୃଣାରେ ଭରିଗଲା । ତା’ର ସ୍ୱାମୀ କେବଳ ରୂପରେ କୁତ୍ସିତ ନଥିଲେ, ବରଂ ସେ ଜଣେ ଅଭଦ୍ର ଏବଂ ପାଶବିକ ପ୍ରବୃତ୍ତିର ବ୍ୟକ୍ତି ଥିଲେ । ସତୀ ପ୍ରଥମେ ତାଙ୍କୁ ଭଲ ପାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ସ୍ୱାମୀଙ୍କର ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବାର ଇଚ୍ଛା ଏବଂ ନାରୀ ପ୍ରତି ଅସମ୍ମାନଜନକ ମନୋଭାବ ତାକୁ ମାନସିକ ସ୍ତରରେ ବିମୁଖ କରିଦେଇଥିଲା ।

 

ଶାଶୁଘରେ ସତୀକୁ କୌଣସି ସମ୍ମାନ ମିଳିନଥିଲା । ସେଠାରେ ସଉରଭୀ ନାମକ ଜଣେ ପୋଇଲୀ (ଦାସୀ) ର ପ୍ରଭାବ ସବୁଠାରୁ ବେଶୀ ଥିଲା । ତା’ ସହ ସତୀର ସ୍ୱାମୀଙ୍କର ଅବୈଧ ସମ୍ପର୍କ ଥିଲା । ସଉରଭୀ ସତୀକୁ ପ୍ରତି ପଦକ୍ଷେପରେ ଅପମାନିତ କରୁଥିଲା ଏବଂ ସତୀର ସ୍ୱାମୀ ଏଥିରେ କୌଣସି ପ୍ରତିବାଦ କରୁନଥିଲେ । ସତୀର ଶାଶୁ ଜଣେ ଧର୍ମପରାୟଣା ବ୍ୟକ୍ତି ଥିଲେ ମଧ୍ୟ ସେ ଅନ୍ତଃପୁରର ଏହି ଗୋଳମାଳଠାରୁ ଦୂରରେ ରହୁଥିଲେ । ସତୀକୁ ସ୍ୱାମୀ ଧମକ ଦେଉଥିଲେ ଯେ ଯଦି ସେ ତାଙ୍କ କଥା ନ ମାନିବ, ତେବେ ତାକୁ ପୋଇଲୀ ପରି ରଖିବେ କିମ୍ବା ଘରୁ ତଡ଼ିଦେବେ । ସେହି ଘରେ କେବଳ ସତୀର ସଉତୁଣୀ ପୁଅ ନଟ ସହ ତା’ର ସ୍ନେହର ସମ୍ପର୍କ ଗଢ଼ିଉଠିଥିଲା । ସତୀ ନଟକୁ ନିଜ ପୁଅ ପରି ସ୍ନେହ କରୁଥିଲା । ଏହି ଯନ୍ତ୍ରଣାମୟ ଜୀବନ ମଧ୍ୟରେ ସତୀର ସଉତୁଣୀ ପୁଅ ନଟ ହିଁ ତା’ର ଏକମାତ୍ର ସୁଖର ଉତ୍ସ ଥିଲା । ନଟ ମଧ୍ୟ ତାକୁ 'ନୂଆ ମା' ବୋଲି ସମ୍ବୋଧନ କରି ତା’ ପାଖରେ ରହିବାକୁ ଚାହୁଁଥିଲା । କିନ୍ତୁ ସଉରଭୀ ସେଥିରେ ମଧ୍ୟ ବାଧା ସୃଷ୍ଟି କରୁଥିଲା ।

 

ବୈବାହିକ ଜୀବନର ଏହି ଅସହ୍ୟ ଯନ୍ତ୍ରଣା, ଅପମାନ ଏବଂ ସ୍ୱାମୀଙ୍କର ସନ୍ଦେହଜନକ ମନୋଭାବ ସତୀକୁ ଏକ 'ହୀନକପାଳୀ' ଜୀବନ ବଞ୍ଚିବାକୁ ବାଧ୍ୟ କରିଥିଲା । ଏହି ବିବାହ ସତୀର ସମସ୍ତ ସ୍ୱପ୍ନ ଓ ସ୍ୱାଧୀନତାକୁ ଧୂଳିସାତ୍‍ କରିଦେଇଥିଲା । ଫଳରେ ସେ ଜୀବନର ଶେଷ ସମୟରେ ନାଥନନାଙ୍କ ପାଖରେ ଆଶ୍ରୟ ଲୋଡ଼ିବାକୁ ବାଧ୍ୟ ହୋଇଥିଲା ।

 

ସତୀ ଶାଶୁଘରେ ଥିବା ସମୟରେ ସଉତୁଣୀ ପୁଅ ନଟର ବାଳ ପକାଇବା ପାଇଁ କପିଳେଶ୍ୱର ମନ୍ଦିରରେ ମାନସିକ ରହିଥିଲା । ସତୀ ନିଜ ବାପଘର ଗାଁରେ ହଇଜା ହେଉଥିବା ଖବର ପାଇ ବାପଘରକୁ ଯିବାକୁ ଚାହୁଁଥିଲେ ମଧ୍ୟ ଶାଶୁଙ୍କ ଅନୁରୋଧ କ୍ରମେ ସେ କପିଳେଶ୍ୱର ଯାତ୍ରାରେ ସାମିଲ ହୋଇଥିଲା । ସ୍ୱାମୀ, ସଉରଭୀ (ପୋଇଲୀ), ନଟ ଏବଂ ଚମ୍ପାମା'ଙ୍କ ସହ ସତୀ ସବାରୀରେ ବସି କପିଳେଶ୍ୱର ଯାତ୍ରା ଆରମ୍ଭ କରିଥିଲା ।

 

ମନ୍ଦିରରେ ପହଞ୍ଚିବା ପରେ ସେଠାରେ ଅତ୍ୟଧିକ ଭିଡ଼ ଏବଂ ଯାତ୍ରୀଙ୍କ ଗହଳି ଥିଲା । ଉପରଓଳି ଠାକୁର ଦର୍ଶନ ସମୟରେ ସତୀ ଚମ୍ପାମା'ଙ୍କ କାନି ଧରି ଭିଡ଼ ଭିତରକୁ ଯାଇଥିଲେ ମଧ୍ୟ ଗହଳି ଯୋଗୁଁ ସେ ଅଲଗା ହୋଇଗଲା । ସେ ମନ୍ଦିର ଭିତରେ ଏକ ଅନ୍ଧାର ଖୁଣ୍ଟ ପାଖରେ ଏକୁଟିଆ ରହିଗଲା । ବାହାରକୁ ଆସିବା ବେଳକୁ ହଠାତ୍ ପ୍ରଳୟଙ୍କରୀ ବର୍ଷା ଓ ଝଡ଼ ଆରମ୍ଭ ହୋଇଯାଇଥିଲା । ସେ ଦେଖିଲା ଯେ ତା’ ପରିବାରର ଲୋକେ ସବାରୀ ଧରି ନଈ ପାର ହୋଇ ଚାଲିଯାଇଛନ୍ତି ଏବଂ ସେ ଘାଟରେ ଏକୁଟିଆ ରହିଯାଇଛି ।

 

ଅସହାୟ ଅବସ୍ଥାରେ ସତୀ ହଠାତ୍ ନାଥନନାଙ୍କୁ ସେଠାରେ ଦେଖିଲା । ନାଥନନା ତାକୁ ଉଦ୍ଧାର କରି ଏକ ଗୁଡ଼ିଆ ଦୋକାନରେ ରାତିକ ପାଇଁ ଆଶ୍ରୟ ନେବାକୁ ବ୍ୟବସ୍ଥା କଲେ । ସେହି ରାତିରେ ସତୀ ଏବଂ ନାଥନନାଙ୍କ ମଧ୍ୟରେ କୌଣସି ଅନୈତିକ ସମ୍ପର୍କ ନଥିଲେ ମଧ୍ୟ ସେମାନେ ଏକାଠି ରହିବା ସମାଜ ଦୃଷ୍ଟିରେ ଏକ କଳଙ୍କିତ ଘଟଣା ଥିଲା । ନାଥନନା ସତୀକୁ ବିଛଣା ଛାଡ଼ି ନିଜେ ଓଦା ପିଣ୍ଡାରେ ଶୋଇଥିଲେ, ଏହା ସତୀର ହୃଦୟକୁ ସ୍ପର୍ଶ କରିଥିଲା । ପରଦିନ ସକାଳେ ନାଥନନା ସତୀକୁ ଗାଡ଼ିରେ ଧରି ତା'ର ଶାଶୁଘରେ ଛାଡ଼ିବାକୁ ଗଲେ । ମାତ୍ର ସତୀର ସ୍ୱାମୀ ତାକୁ ଗ୍ରହଣ କରିବା ପରିବର୍ତ୍ତେ ତା’ର ଚରିତ୍ର ଉପରେ ସନ୍ଦେହ କରି ଅତି ଅଭଦ୍ର ଭାବେ ତାକୁ ଘରୁ ତଡ଼ି ଦେଲେ । ସେ ସତୀକୁ 'କୁଳତ୍ୟାଗିନୀ' ଏବଂ 'ବେଶ୍ୟାପଡ଼ାରେ ଛାଡ଼ିବା' ପରି କଠୋର କଥା କହିଥିଲେ । ଏହି ଘଟଣା ସତୀର ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଲା । ଶାଶୁଘରୁ ପ୍ରତ୍ୟାଖ୍ୟାତ ହେବା ପରେ ନାଥନନା ତାକୁ ଧରି କଟକ ଚାଲିଗଲେ, ଯାହା ଶେଷରେ ତା'ର ଆତ୍ମବଳିର କାରଣ ସାଜିଲା ।

 

କଟକରେ ସେମାନେ ଏକ ବସାଘର ଭଡ଼ା ନେଇ ରହିଲେ । ନାଥ ସତୀ ପାଇଁ ସବୁ ପ୍ରକାର ସୁଖସୁବିଧା ଓ ଘରକରଣା ଜିନିଷ ଯୋଗାଡ଼ କରିଥିଲେ । କିନ୍ତୁ ସତୀ ସେଠାରେ ସୁଖ ଅନୁଭବ କରିବା ପରିବର୍ତ୍ତେ ନିଜକୁ ଅଧିକ ଦୋଷୀ ମଣୁଥିଲା । ସେ ଅନୁଭବ କରୁଥିଲା ଯେ ତା’ ଯୋଗୁଁ ନାଥନନାଙ୍କ ପରି ଜଣେ ପବିତ୍ର ବ୍ୟକ୍ତି ସମାଜରେ ନିନ୍ଦିତ ହେଉଛନ୍ତି । କଟକରେ ରହିବା ସମୟରେ ସତୀ ଜାଣିବାକୁ ପାଇଲା ଯେ ତା’ର ବାପା ଓ ବୋଉ ଦୁହେଁ ହଇଜାରେ ମୃତ୍ୟୁବରଣ କରିଛନ୍ତି । ଏହି ଖବର ତାକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲା ଏବଂ ସେ ନିଜକୁ ନିରାଶ୍ରୟା ମଣି କେବଳ ନାଥଙ୍କ ଉପରେ ନିର୍ଭର କରିଥିଲା । ନାଥ ସତୀର ଅସୁସ୍ଥତା ସମୟରେ ନିଜେ ରୋଷେଇ କରିବାକୁ ଯାଇ ହାତ ପୋଡ଼ି ପକାଇଥିଲେ, ଯାହା ସତୀର ହୃଦୟକୁ ଆନ୍ଦୋଳିତ କରିଥିଲା ।

 

ନାଥନନା କଟକରେ ଚାକିରି ଖୋଜୁଥିଲେ ମଧ୍ୟ କୌଣସି ସୁଯୋଗ ମିଳିନଥିଲା । ହାତରେ ଥିବା ସବୁ ପଇସା ସରିଯିବାରୁ ସେମାନେ ଉପାସ ରହିବାକୁ ବାଧ୍ୟ ହୋଇଥିଲେ । ଶେଷରେ କୌଣସି ଉପାୟ ନପାଇ ନାଥନନା ସତୀକୁ ଧରି ନିଜ ଗାଁକୁ ଫେରିଆସିଥିଲେ ।

 

ଗାଁକୁ ଫେରିବା ବେଳେ ସତୀର ମନରେ ନିଜ ଶୈଶବର ସ୍ମୃତି ଜାଗ୍ରତ ହୋଇଥିଲା, କିନ୍ତୁ ସାମାଜିକ କଟକଣା ଯୋଗୁଁ ସେ ମନେ ମନେ ଭୟଭୀତ ମଧ୍ୟ ଥିଲା । ନାଥନନାଙ୍କ ଘରକୁ ଆସିବା ବେଳେ ସେ ଦେଖିଲା ଯେ ଘରଟି ଶୂନଶାନ୍, କାରଣ ବଡ଼ମା (ନାଥଙ୍କ ମାଆ) ପୁରୀ ଯାଇଥିଲେ ଏବଂ ବଉଳ (ନାଥଙ୍କ ଭଉଣୀ) ତା’ ଶାଶୁଘରେ ଥିଲା । ଗାଁରେ ବାପା ଓ ବୋଉଙ୍କ ମୃତ୍ୟୁ ପରେ ସତୀ ପାଇଁ ନାଥନନାଙ୍କ ଘର ହିଁ ଏକମାତ୍ର ଆଶ୍ରୟ ଥିଲା, କିନ୍ତୁ ଗାଁର ପରିବେଶ ସେମାନଙ୍କ ପାଇଁ ଅନୁକୂଳ ନଥିଲା ।

 

ଗାଁକୁ ଫେରିବାର କିଛି ଦିନ ପରେ ଗାଁ ଚାଟଶାଳୀର ମାଷ୍ଟର ଅଚୁତି ନାଥନନାଙ୍କ ଘରକୁ ଆସିଲା । ସେ ଉପରକୁ ଭଦ୍ରତା ଦେଖାଉଥିଲେ ମଧ୍ୟ ସତୀ ଓ ନାଥଙ୍କ ସମ୍ପର୍କକୁ ନେଇ କଟାକ୍ଷ କରିବାକୁ ପଛାଇ ନଥିଲା । ଦିନେ ରାତିରେ ସତୀ ଓ ନାଥନନା ଅଗଣାରେ କଥା ହେଉଥିବା ବେଳେ ଅଚୁତି ସେମାନଙ୍କୁ ଦେଖିନେଲା । ସେମାନଙ୍କ ସମ୍ପର୍କକୁ କଳଙ୍କିତ କରିବା ପାଇଁ ଅଚୁତିକୁ ଏକ ସୁଯୋଗ ମିଳିଗଲା ।

 

ଅଚୁତି ଗାଁର ପୁରୁଣା ଚାକର ସଇତା ହାତରେ ସତୀ ପାଖକୁ ଏକ ଚିଠି ପଠାଇଲା । ସେଥିରେ ସେ ଲେଖିଥିଲା ଯେ ସତୀର ସ୍ୱାମୀ ତାକୁ ତ୍ୟାଗ କରିଛନ୍ତି । ଅଚୁତି ଧମକ ଦେଇଥିଲା ଯେ ଯଦି ସତୀ ତା’ର ବାପାଙ୍କ ସମ୍ପତ୍ତିକୁ ଅଚୁତି ନାମରେ ନ ଲେଖିଦିଏ, ତେବେ ସେ ସେମାନଙ୍କର କଳଙ୍କିତ କାହାଣୀ ଗାଁଯାକ ପ୍ରଘଟ କରିଦେବ ଏବଂ ନାଥନନାଙ୍କୁ ଜାତିରୁ ବାସନ୍ଦ କରାଇବ । ନାଥନନା ଏହି ଚିଠି ପଢ଼ିବା ପରେ କ୍ରୋଧିତ ହୋଇ ଅଚୁତିକୁ ଭୟଭୀତ କରାଇଥିଲେ କିନ୍ତୁ ଏହା ବିପଦକୁ ଆହୁରି ବଢ଼ାଇ ଦେଲା ।

 

ଗାଁର ମୁଖିଆ ପ୍ରଭାକର ମିଶ୍ର ଓ ଅନ୍ୟମାନେ ନାଥଙ୍କ ଘରକୁ ଆସି ଧମକ ଦେଲେ ଯେ ଯଦି ସେ ସତୀକୁ ଘରୁ ବାହାର ନ କରନ୍ତି, ତେବେ ତାଙ୍କର 'ନିଆଁ-ପାଣି' ଅଟକ କରାଯିବ । ଗାଁର ଲୋକେ ସେମାନଙ୍କୁ ସଉଦା ପତ୍ର ଦେବାକୁ ମଧ୍ୟ ମନା କରିଦେଲେ । ଫଳରେ ନାଥନନାଙ୍କୁ ଉପାସ ରହିବାକୁ ପଡ଼ିଲା ।

 

ସତୀ ଅନୁଭବ କଲା ଯେ ତା’ର ଉପସ୍ଥିତି ନାଥନନାଙ୍କ ପାଇଁ ଏକ ଅଭିଶାପ ସାଜିଛି । ସେ ଜଣେ 'ହୀନକପାଳୀ' ଏବଂ ତା’ ପାଇଁ ଜଣେ ନିଷ୍ପାପ ବ୍ୟକ୍ତି ସମାଜରେ ଅପମାନିତ ହେଉଛନ୍ତି-। ସେ ନିଜେ ରାତିର ଅନ୍ଧାରରେ ଗୁପ୍ତରେ ପ୍ରଭାକର ମିଶ୍ରଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀ 'ଅଶୋକା'ଙ୍କୁ ଭେଟିଲା । କିନ୍ତୁ ସେଠାରେ ତାକୁ 'ଅପବିତ୍ର' ବୋଲି କହି ଅପମାନିତ କରାଗଲା-। ପ୍ରଭାକର ମିଶ୍ରଙ୍କୁ ସତୀ ପଚାରିଲା ଯେ ଯଦି ସେ ଗାଁ ଛାଡ଼ି ଚାଲିଯାଏ, ତେବେ ନାଥନନାଙ୍କୁ ଜାତିରେ ନିଆଯିବ କି ନାହିଁ ? ପ୍ରଭାକର ଏଥିରେ ସମ୍ମତି ପ୍ରକାଶ କଲେ ।

 

ସତୀ ସ୍ଥିର କଲା ଯେ ନାଥନନାଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ସୁଯୋଗ ଦେବାକୁ ହେଲେ ତାକୁ ନିଜେ ଦୂରେଇ ଯିବାକୁ ପଡ଼ିବ । ସେ ରାତିର ଅନ୍ଧାରରେ ନାଥନନାଙ୍କ ପାଇଁ ଏକ କରୁଣ ବିଦାୟ ଚିଠି ଲେଖିଲା । ସେଥିରେ ସେ ନିଜର ପ୍ରେମ, ଅସହାୟତା ଏବଂ ନାଥଙ୍କ ପ୍ରତି ଥିବା କୃତଜ୍ଞତା ବ୍ୟକ୍ତ କରିବା ସହ ଲେଖିଥିଲା ଯେ ତାକୁ ଆଉ ଖୋଜା ନଯାଉ । ଚିଠିଟିକୁ ଥୋଇଦେଇ, ସେ ଶେଷଥର ପାଇଁ ନାଥନନାଙ୍କୁ ଦୂରରୁ ପ୍ରଣାମ କଲା ଏବଂ ଘରୁ ବିଦାୟ ନେଲା । ନିଷ୍ପାପ ଚନ୍ଦ୍ରର ଆଲୋକରେ ସେ ନିଜକୁ ଏକ 'ପ୍ରଚଣ୍ଡ ଧୂମକେତୁ' ସହ ତୁଳନା କଲା, ଯିଏ ନିଜ ସହ ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ସର୍ବନାଶ କରେ । ଅନ୍ଧାର ରାତିରେ ସେ ଧୀରେ ଧୀରେ ଚାଲିଲା ଏବଂ ଏକ ନଈ କୂଳରେ ପହଞ୍ଚିବା ପରେ ଉପନ୍ୟାସଟି ଶେଷ ହୁଏ। ଏହା ସତୀର ଆତ୍ମବଳି ବା ଜଳସମାଧି ଆଡ଼କୁ ଇଙ୍ଗିତ କରେ ।

 

ଉପସଂହାର

 

ଏହି ଉପନ୍ୟାସଟି ଆମକୁ ଏକ ବଡ଼ ପ୍ରଶ୍ନ ପଚାରେ–ସମାଜର ନିୟମ ବଡ଼ ନା ମଣିଷର ଅନ୍ତରର ପବିତ୍ର ପ୍ରେମ ? ସତୀ ଜାଣିଥିଲା ଯେ ଯେପର୍ଯ୍ୟନ୍ତ ସେ ନାଥନନାଙ୍କ ପାଖରେ ରହିବ, ସେପର୍ଯ୍ୟନ୍ତ ନାଥନନାଙ୍କୁ ସମାଜ 'ଜାତି'ରେ ଗ୍ରହଣ କରିବ ନାହିଁ । ନିଜର ସର୍ବସ୍ୱ ତ୍ୟାଗ କରି ସେ ନାଥନନାଙ୍କୁ ସମ୍ମାନଜନକ ଜୀବନ ଦେବାକୁ ଚାହିଁଥିଲା । ତା’ର ସେହି ଅନ୍ଧାରୀ ଯାତ୍ରା ସତେ ଯେମିତି ଜଳସମାଧି ବା ଏକ ଅଜଣା ନିରୁଦ୍ଦେଶ ଆଡ଼କୁ ଇଙ୍ଗିତ କରେ । ଉପନ୍ୟାସଟି ଶେଷ ହେବା ପରେ ମଧ୍ୟ ସତୀର ସେହି ମୌନ ଆଖିର ଲୁହ ପାଠକଙ୍କୁ ବହୁ ସମୟ ଧରି ଆନ୍ଦୋଳିତ କରିବ । ସତୀର ଏହି କରୁଣ କାହାଣୀ କେବଳ ଇତିହାସ ନୁହେଁ, ବରଂ ଏହା ସମାଜର ପ୍ରତିଟି ଯୁଗରେ ଥିବା ସତୀମାନଙ୍କର ଏକ ପ୍ରତିଛବି ।

Image